ଛାତ୍ରଛାତ୍ରୀ ଦେଉଛନ୍ତି ପରିମଳ ବାର୍ତ୍ତା

Submitted by Hindi on Sat, 01/09/2016 - 11:05
Source
ରିଜନଲ ସେନ୍ଟର ଫର ଡେୱଲପମେଂଟ କପରେଶନ, 2015

ବିଦ୍ୟାଳୟ ମାନଙ୍କରେ ଆରମ୍ଭ ହୋଇଛି ଜଳ ପରିମଳ ଶିକ୍ଷା। ଚିତ୍ର, ବକ୍ତୃତାରେ ଛାତ୍ରଛାତ୍ରୀ ଗାଉଛନ୍ତି ଜଳର ଗୁଣ; ପ୍ରତ୍ୟକ୍ଷ ଅନୁଭୂତିରୁ ପଷ୍ଫୁଟିତ ହେଉଛି ଶିକ୍ଷା। ବିଦ୍ୟାଳୟରୁ ଯାଇ ଘରେ ଓ ଗାଁରେ ପହଞ୍ଚୁଛି ଜଳ ପରିମଳର ବାର୍ତ୍ତା।

ପରିମଳ ଓ ଜଳ ସୁରକ୍ଷା ପାଇଁ ବିଦ୍ୟାଳୟରେ ସାମୁହିକ ଶପଥ ପାଠପ୍ରାର୍ଥନା ପରେ ପିଲାଏ ନିଜ ଭିତରୁ ବାଛିଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦେଖାଉଛନ୍ତି ହାତର ନଖ। ସ୍ୱାସ୍ଥ୍ୟମନ୍ତ୍ରୀ ନଖ କାଟି ନ ଥିଲେ ତୁରନ୍ତ କଟେଇ ନେବାର ବ୍ୟବସ୍ଥା କରୁଛନ୍ତି। କିଏ ମୁଣ୍ଡକୁଣ୍ଡେଇ ପାରିନି , ମୁହଁ ହାତ ସଫା କରିନି, ମଇଳା ସାର୍ଟପେଣ୍ଟ ପିନ୍ଧିଛି ଦେଖି ବୁଝାଇ ଦେଉଛନ୍ତି। ଶ୍ରେଣୀକୁ ଯିବା ବେଳେ ଧାଡି ବାନ୍ଧି ହୋଇ ଯିବା, ପିଇବା ପାଣି ଥିବା ଜାଗାକୁ ସଫା ରଖିବା, ସେଥିରେ ହାତ ନ ବୁଡାଇବା, ପାଇଖାନାରେ ଠିକ ଭାବରେ ପାଣି ଢାଳିବା ଅଭ୍ୟାସ କରାଯାଉଛି। ନୂଆପଡ଼ା ଜିଲ୍ଲାର ପାଞ୍ଚଟି ପଞ୍ଚାୟତର ଛଅଟି ହାଇସ୍କୁଲ ଓ ୧୧ଟି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟରେ ଏବେ ଏହା ଦେଖି ହେଉଛି। ଆରସିଡିସି କର୍ମୀମାନଙ୍କ ଲଗାତାର ସମ୍ପର୍କ ଓ ଶିକ୍ଷକମାନଙ୍କ ଉଦ୍ୟମରୁ ଏହି ସଫଳତା ମିଳିଛି। 'ଆରସିଡିସିର କର୍ମକର୍ତ୍ତାମନେ ନିୟମିତ ଆମ ସହ ମିଶିଲେ, ପିଲାମାନଙ୍କ ମଧ୍ୟରେ ଜଳ ଓ ପରିମଳ ନେଇ ସଚେତନତା ବଢାଯାଇ ପାରିଲେ ତାହାର ପ୍ରଭାବ ଓ ପ୍ରତିଫଳନ ଗାଁ ଓ ପରିବାରମାନଙ୍କ ଉପରେ ପଡିବ ବୋଲି ବୁଝାଇଲେ। ପିଲାଙ୍କ ଆଚରଣ ଦେଖି ଅଭିଭାବକମାନେ ପ୍ରଭାବିତ ହେବେ। ଏହି ଲକ୍ଷ୍ୟରେ ପିଲାମାନଙ୍କୁ ଜଳଶିକ୍ଷିତ କରିବା ପାଇଁ ଆରସିଡିସିର ପ୍ରସ୍ତାବ ଖୁବ୍‍ ଉତ୍ତମ ହୋଇଥିବାରୁ ଆମ ବିଦ୍ୟଳୟରେ ଆମେ ଏହାକୁ ଏବେ କାର୍ଯ୍ୟକାରୀ କରୁଛୁ'', କହନ୍ତି କାଦୋମେରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ୟାଦରାମ ବାରିକ।

ହାତଧୁଆ ପ୍ରଣାଳୀ, ପିଇବା ପାଣିର ସଂରକ୍ଷଣ, ବ୍ୟକ୍ତିଗତ ପରିଚ୍ଛନ୍ନତାର ଆବଶ୍ୟକତା, ଜଳଜନିତ ରୋଗ, ବର୍ଷାଜଳ ଅମଳ, ପାଇଖାନା ଅଭ୍ୟାସ ସମ୍ପର୍କରେ ପ୍ରତିମାସରେ ଆମ ସ୍କୁଲରେ ଏକ ଆଲୋଚନା ହୁଏ। ବୈଠକରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ଆରସିଡିସିର କର୍ମୀଙ୍କ ସହିତ ବିଭିନ୍ନ ସମୟରେ ଶିକ୍ଷା କମିଟୀ ଓ ଜଳପରିମଳ କମିଟୀର ସଦସ୍ୟମାନେ ମଧ୍ୟ ଏକତ୍ରିତ ହୁଅନ୍ତି। ପିଲାମାନଙ୍କ ସହିତ ଆମର ମଧ୍ୟ ଜଳ, ପରିମଳ, ପରିଚ୍ଛନ୍ନତା ଉପରେ ଜ୍ଞାନ ବୃଦ୍ଧି ହୋଇଥିବା କହନ୍ତି ବେଲଟୁକୁରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ସୁକାନ୍ତି ପୁଟେଲ।ବିଭିନ୍ନ ଜାତୀୟ ଦିବସ ଯଥା:- ସ୍ୱାଧୀନତା ଦିବସ ଓ ଗାନ୍ଧି ଜୟନ୍ତି ଭଳି ଦିନରେ ଜଳ ପରିମଳ ଓ ପରିଚ୍ଛନ୍ନତା ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ ପ୍ରବନ୍ଧ ରଚନା ପ୍ରତିଯୋଗିତା ହୁଏ ଏବଂ କୃତୀ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥାଏ। 'ଏହିଭଳି ପ୍ରତିଯୋଗିତା ପ୍ରତି ଛାତ୍ରଛାତ୍ରୀ ବହୁତ ଆଗ୍ରହୀ ରହୁଛନ୍ତି ଓ ତାଙ୍କର ଜ୍ଞାନ ପିପାସା ବଢୁଛି'', କହନ୍ତି ନୂଆଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଶାନ୍ତ ବାଗ।

ବିଦ୍ୟାଳୟ ଜଳଶିକ୍ଷା କାର୍ଯ୍ୟକ୍ରମର ଏକ ଝଲକନୂଆଗାଁ ଗ୍ରାମ ପଞ୍ଚାୟତର ନୂଆଗାଁ, କାମକେଡା, ଠୁଟିବର ଓ କାଲିମାଟି ଗାଁରେ ଥିବା ଆଠଟି ପ୍ରାଥମିକ ବିଦ୍ୟାଳୟ ଓ ଦୁଇଟି ହାଇସ୍କୁଲର ପ୍ରାୟ ୨୦୦ ଛାତ୍ରଛାତ୍ରୀ ପିଇବା ପାଣିର ଗୁଣ, ସାଇତି ରଖିବା ଉପାୟ ଓ ବ୍ୟକ୍ତିଗତ ପରିଚ୍ଛନ୍ନତାର ଆବଶ୍ୟକତା ଉପରେ ଅଧିକ ଜ୍ଞାନ ହାସଲ କରିପାରିଛନ୍ତି କହନ୍ତି ଆରସିଡିସିର ସଂଗଠକ ଆଶିଷ ଖମାରୀ। ଅନ୍ୟ ପଞ୍ଚାୟତମାନଙ୍କରେ ମଧ୍ୟ ସେହିଭଳି ସ୍ଥିତି। ନୂଆପଡାରେ ଫ୍ଲୋରାଇଡ୍‍ ଆକ୍ରାନ୍ତ ଜଳ ଉତ୍ସ ଓ ଫ୍ଲୋରୋସିସ୍‍ ରୋଗର ସମସ୍ୟାକୁ ଦୃଷ୍ଟିରେ ରଖି ଜଳ ପରୀକ୍ଷଣ କରିବା ପ୍ରଣାଳୀ ବିଷୟରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଜ୍ଞାନ ଓ ଅନୁଭୂତି ହାସଲ କରିପାରୁଛନ୍ତି।

ଶିକ୍ଷା ଅଧିକାର ଆଇନରେ ଶୌଚାଳୟ ଓ ପରିମଳ ବ୍ୟବସ୍ଥା କଥା କୁହାଯାଇଛି। ପିଲାମାନେ ଯଦି ପାଇଖାନା ପରିଚାଳନା ଭଲଭାବେ କରିପାରିଲେ ତେବେ ପରିମଳ ଶିକ୍ଷା ସଫଳ ହୋଇପାରିବ। ନୂଆପଡ଼ା ଜିଲ୍ଲାର ବିଦ୍ୟାଳୟ ମାନଙ୍କରେ ଏହାର ଆଭାସ ମିଳୁଛି।